International Journal of Contemporary Research In Multidisciplinary, 2025;4(6):828-833
ଉତ୍ତର-ଉପନିବେଶବାଦ ପରିପ୍ରେକ୍ଷୀରେ ପ୍ରବାସୀ ମନସ୍ତତ୍ତ୍ୱ ଓ ଆତ୍ମପରିଚୟର ଅନ୍ୱେଷଣ: ‘ଅଭିଳାଷ ଓ ଅନ୍ୟାନ୍ୟ ଗଳ୍ପ’ର ଏକ ତାତ୍ତ୍ୱିକ ବିଶ୍ଳେଷଣ
Author Name: ଆଶିଷ ନନ୍ଦ;
Abstract
ଉତ୍ତର-ଉପନିବେଶବାଦ (Post-colonial) ସମୟଖଣ୍ଡରେ ପ୍ରବାସୀ ମନସ୍ତତ୍ତ୍ୱ, ନିର୍ବାସନ, ବିସ୍ଥାପନ ଓ ଆତ୍ମପରିଚୟର ଅନ୍ୱେଷଣ ସମକାଳୀନ ସାହିତ୍ୟ ତତ୍ତ୍ୱର ମୁଖ୍ୟ ବିଷୟବସ୍ତୁ ଭାବେ ଉଭା ହୋଇଛି।। ଓଡ଼ିଆ କଥାକାର ଶରତ ଚନ୍ଦ୍ର ମିଶ୍ରଙ୍କ ଗଳ୍ପ ସଙ୍କଳନ ‘ଅଭିଳାଷ ଓ ଅନ୍ୟାନ୍ୟ ଗଳ୍ପ’ (୧୯୯୪) ଏହି ଦୃଷ୍ଟିକୋଣରୁ ଏକ ଅତ୍ୟନ୍ତ ଉଲ୍ଲେଖନୀୟ ଦୃଷ୍ଟାନ୍ତ। ଓଡ଼ିଆ କ୍ଷୁଦ୍ରଗଳ୍ପର ଧାରାରେ ଆଞ୍ଚଳିକତା ତଥା ପାରମ୍ପରିକ ଗ୍ରାମୀଣ-ମଧ୍ୟବିତ୍ତ ପରିସରରୁ ଊର୍ଦ୍ଧ୍ୱକୁ ଯାଇ ଏକ ବିଶ୍ୱସ୍ତରୀୟ ପରିପ୍ରେକ୍ଷୀ (Global Perspective) ପ୍ରଦାନ କରିବାରେ ଶରତ ଚନ୍ଦ୍ର ମିଶ୍ରଙ୍କ ଗଳ୍ପଗୁଡ଼ିକ ଅନନ୍ୟ। 'ଅଭିଳାଷ ଓ ଅନ୍ୟାନ୍ୟ ଗଳ୍ପ' ସଙ୍କଳନରେ ଥିବା ବାରଟି ଗଳ୍ପ ମାଧ୍ୟମରେ ଲେଖକ ଆଧୁନିକ ମଣିଷର ଆତ୍ମପରିଚୟ ସନ୍ଧାନ (Identity Crisis), ପ୍ରବାସୀ ଜୀବନର ବିଛିନ୍ନତାବୋଧ (Alienation), ଭୌଗୋଳିକ ସୀମାରେଖା ଅତିକ୍ରମ କରି ମଧ୍ୟ ମାନସିକ ସ୍ତରରେ ରହିଯାଉଥିବା ଅପୂର୍ଣ୍ଣତା ବା ‘ଅନୁପସ୍ଥିତି’ (Sense of Absence) ଏବଂ ପ୍ରଶାସନିକ-ଅମଲାତାନ୍ତ୍ରିକ ଦ୍ୱନ୍ଦ୍ୱକୁ ନିଖୁଣ ଭାବେ ରୂପାୟିତ କରିଛନ୍ତି। ଏହା କ୍ଷୁଦ୍ରଗଳ୍ପର ଭୌଗୋଳିକ ସୀମାକୁ ବିଶ୍ୱ ପରିସର ମଧ୍ୟକୁ ପ୍ରସାରିତ କରିଛି। ଉପନିବେଶବାଦୀ ଶାସନର ପରବର୍ତ୍ତୀ କାଳରେ ଘଟିଥିବା ଦେଶ ବିଭାଜନ, ରାଜନୈତିକ ଉତ୍ଥାନ-ପତନ ଏବଂ ଅର୍ଥନୈତିକ ସ୍ୱପ୍ନ, ରାଜନୈତିକ ସୀମାରେଖା ଓ ପାଶ୍ଚାତ୍ୟ ଭୌତିକତାବାଦ କିପରି ତୃତୀୟ ବିଶ୍ୱର ମଣିଷକୁ ନିଜ ମାଟିରୁ ବିଚ୍ଛିନ୍ନ କରି ବିଦେଶୀ ଭୂଖଣ୍ଡରେ ଏକ ‘ଅନ୍ୟାନ୍ୟ’ (Other) ବା ଦ୍ୱିତୀୟ ଶ୍ରେଣୀର ନାଗରିକ ଭାବେ ଠିଆ କରିଦିଏ, ତାହା ଏହି ସଙ୍କଳନର ମୂଳ ସ୍ୱର। ହୋମି ଭାଭା (Homi Bhabha) ଙ୍କ ‘ସଙ୍କରତା’ (Hybridity), ‘ଅନୁକରଣ’ (Mimicry) ଏବଂ ଷ୍ଟୁଆର୍ଟ ହଲ୍ (Stuart Hall)ଙ୍କ ‘ସାଂସ୍କୃତିକ ଆତ୍ମପରିଚୟ’ (Cultural Identity) ତତ୍ତ୍ୱକୁ ଆଧାର କରି ଏହି ନିବନ୍ଧରେ ଶରତ ମିଶ୍ରଙ୍କ ପ୍ରମୁଖ ଗଳ୍ପଗୁଡ଼ିକର ଏକ ତାତ୍ତ୍ୱିକ ଅନୁଶୀଳନ କରାଯାଇଛି।
Keywords
ଉତ୍ତର-ଉପନିବେଶବାଦ, ପ୍ରବାସୀ ମନସ୍ତତ୍ତ୍ୱ, ଆତ୍ମପରିଚୟ ସଙ୍କଟ, ସଙ୍କରତା, ଅନୁପସ୍ଥିତ ସିଦ୍ଧାନ୍ତ, ଶରତ ଚନ୍ଦ୍ର ମିଶ୍ର।