International Journal of Contemporary Research In Multidisciplinary, 2026;5(4):29-35
କବିଚନ୍ଦ୍ରଙ୍କ ସାରସ୍ଵତ ସୁକୃତିରେ : ଓଡ଼ିଶୀ ସଙ୍ଗୀତର ଶାସ୍ତ୍ରୀୟ ପରିଚିତି
Author Name: ସାହିଲ କୁମାର ନାୟକ;
Abstract
ଓଡ଼ିଶାର ସାଂସ୍କୃତିକ ତଥା ଆଧ୍ୟାତ୍ମିକ ଚେତନାର ଅନନ୍ୟ ଅଭିବ୍ୟକ୍ତି ହେଉଛି ‘ଓଡ଼ିଶୀ ସଙ୍ଗୀତ’। ଏହା ମହାମୁନି ଭରତଙ୍କ ‘ନାଟ୍ୟଶାସ୍ତ୍ର’ ବର୍ଣ୍ଣିତ ଓଡ୍ର-ମାଗଧୀ ପ୍ରବୃତ୍ତିର ଚିରନ୍ତନ ସ୍ୱରୂପ ଏବଂ ଷଷ୍ଠ-ସପ୍ତମ ଶତାବ୍ଦୀରୁ ଚଳିଆସୁଥିବା ଏକ ସ୍ଵତନ୍ତ୍ର, ଶାସ୍ତ୍ରସିଦ୍ଧ ପଦ୍ଧତି। ତେବେ କାଳକ୍ରମେ ନିଜର ଶାସ୍ତ୍ରୀୟ ମାନ୍ୟତା ଓ ଅସ୍ତିତ୍ୱକୁ ନେଇ ସଂଶୟ ସୃଷ୍ଟି ହୋଇଥିବା ସମୟରେ, ନାଟ୍ୟାଚାର୍ଯ୍ୟ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତର ପୁନରୁଦ୍ଧାର ପାଇଁ ଆଜୀବନ ସଂଗ୍ରାମ କରିଥିଲେ। ତାଙ୍କରି ଅକ୍ଳାନ୍ତ ସାଧନା ଫଳରେ ୧୯୫୯ ମସିହାରେ ଓଡ଼ିଶୀ ନୃତ୍ୟ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ରୂପେ ସ୍ୱୀକୃତି ଲାଭ କଲା ଏବଂ ଓଡ଼ିଶୀ ସଙ୍ଗୀତର ସ୍ଵାତନ୍ତ୍ର୍ୟ ବିଶ୍ୱ ଦରବାରରେ ପ୍ରତିଷ୍ଠିତ ହେଲା। ପ୍ରସ୍ତୁତ ପ୍ରବନ୍ଧରେ ଓଡ଼ିଶୀ ସଙ୍ଗୀତର ଶାସ୍ତ୍ରୀୟ ଆବେଦନ ଏବଂ ଏହାର ସୁରକ୍ଷା ଦିଗରେ କବିଚନ୍ଦ୍ରଙ୍କ ସାରସ୍ଵତ ଅବଦାନର ଏକ ତାତ୍ତ୍ୱିକ ମୂଲ୍ୟାୟନ କରାଯାଇଛି। କବିଚନ୍ଦ୍ରଙ୍କ ଦ୍ଵାରା ରଚିତ ଓ ଅନୁଦିତ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ଗ୍ରନ୍ଥ ଯଥା- ‘ଆମର ସଙ୍ଗୀତ ଧାରା’, ‘ଓଡ଼ିଶୀ ସଙ୍ଗୀତର ରୂପରେଖ’, ‘ଓଡ଼ିଶୀ ମେଳା-ରାଗ-ଲକ୍ଷଣ ଓ ଗୀତ’, ‘ନାଟ୍ୟ ମନୋରମା’ର ଓଡ଼ିଆ ଅନୁବାଦ ଏବଂ ‘ରାଗଚିତ୍ର’ ପରି ପ୍ରାମାଣିକ ପୁସ୍ତକ ଗୁଡ଼ିକର ସୂକ୍ଷ୍ମ ଆଲୋଚନା ଏହି ପ୍ରବନ୍ଧର ମୂଳ ବିଷୟବସ୍ତୁ। ଏଥିସହ ତାଙ୍କ ପ୍ରଣୀତ ‘କବିଚନ୍ଦ୍ର ଗୀତାବଳୀ’ (୧ମ ରୁ ୫ମ ଖଣ୍ଡ) ମଧ୍ୟରେ ସ୍ଥାନିତ ହଜାରରୁ ଊର୍ଦ୍ଧ୍ୱ ସଙ୍ଗୀତର ରାଗ, ତାଳ ଓ ଛନ୍ଦର ବୈଶିଷ୍ଟ୍ୟକୁ ଏଠାରେ ପ୍ରଦର୍ଶିତ କରାଯାଇଛି। ବାର୍ଦ୍ଧକ୍ୟ ଓ ଶାରୀରିକ ପ୍ରତିକୂଳତା ସତ୍ତ୍ୱେ ପ୍ରାଚୀନ ପୋଥି ସଂଗ୍ରହ କରି ସେ ଓଡ଼ିଶୀ ସଙ୍ଗୀତକୁ ହିନ୍ଦୁସ୍ତାନୀ କିମ୍ବା କର୍ଣ୍ଣାଟକୀ ପଦ୍ଧତିର ଅନୁକୃତି ନୁହେଁ, ବରଂ ମୂଳ ଭାରତୀୟ ସଙ୍ଗୀତର ପ୍ରାଚୀନତମ ଧାରା ବୋଲି ଯେଉଁ ଅକାଟ୍ୟ ପ୍ରମାଣ ଦେଇଛନ୍ତି, ତାହା ଏହି ଆଲେଖ୍ୟରେ ପ୍ରତିପାଦିତ। ଓଡ଼ିଶୀ ସଙ୍ଗୀତର ପ୍ରାଣପ୍ରତିଷ୍ଠା ଲାଗି କବିଚନ୍ଦ୍ରଙ୍କର ଏହି ଯୁଗାନ୍ତକାରୀ କଳା-ତପସ୍ୟା ଓଡ଼ିଆ ଜାତିର ସ୍ଵାଭିମାନକୁ ଚିରକାଳ ଦୀପ୍ତିମନ୍ତ କରି ରଖିବ, ଏହା ହେଉଛି ଏହି ନିବନ୍ଧର ମୂଳ ନିର୍ଯ୍ୟାସ।
Keywords
ଓଡ଼ିଶୀସଙ୍ଗୀତ, କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ, ଶାସ୍ତ୍ରୀୟସଙ୍ଗୀତ, ଓଡ୍ର-ମାଗଧୀ, ରାଗ-ତାଳ, ଆମର ସଙ୍ଗୀତ ଧାରା, ଗୀତାବଳୀ।